ସେଇ ପତଳା ପାନଡବା
ସେଇ ପତଳା ପାନଡବା
------------------------------
ଜେଜିମା' ପାନ ଭାଙ୍ଗେ ବସି ,
ବାପା ଯିବେ କଟକ ଅଫିସ୍ ।
ଜେଜିମା' ପାନକୁଟାରେ
ନିଜ ପାଇଁ ପାନଛେଚି
ପାଟିରେ ପକାଏ ,
ବାପାଙ୍କ ପାନଭଙ୍ଗାରେ
ଧ୍ୟାନ ଦେଇଥାଏ ।
ଜେଜିମା' ଜେଜେବାପାଙ୍କ
ସୁଦାମ କେତକୀ ଧୂଳିଗୁଣ୍ଡି ପାନ,
ବାପାଙ୍କର ଗୋପାଳ ଡିଲକ୍ସ ଜାଫ୍ରାନ
ସକାଳର ବାଡ଼ିକାମ
କେଉଁ ଦିନ ଖେତକାମ
ସବୁସାରି ସାଇକେଲ ଧରି ,
ବାପା ଫେରିଥା'ନ୍ତି
ସଫେଇ କେନାଲରୁ
ପ୍ରାତଃସ୍ନାନ ସାରି ।
ଘରେ ସମସ୍ତେ ବ୍ୟସ୍ତ ,
ସମୟ ବା କେତେ ହୋଇଥିବ ?
ସାଢ଼େ ଆଠ କି ନଅଟା ବାଜିବ ,
ଠିକ୍ ସାଢ଼େ ନଅଟା ବେଳକୁ
ସପ୍ତାହରେ ଛଅଦିନ
ବାପାଙ୍କର ଏମିତିକା ଗସ୍ତ ।
ଠିକ୍ ନଅଟା ବେଳକୁ
ଆମେ ସବୁ ଭାଇ
ଦୁଃଖୀନାନୀ ଘରୁ ସକାଳ ପଢ଼ାସାରି
ତରତର ଭାବ ,ଉତ୍ସାହିତ ମନ ,
କୂଅମୂଳେ ଡବଡବ ପାଣିଢାଳି ହୋଇ
ବାପାଙ୍କ ସାଙ୍ଗେ ଗୋଟିଏ ଥାଳିରେ
ଗରମ ଖାଇବାକୁ ବସୁ ଯେ ବହନ ।
ସ୍ୱର୍ଗୀୟ ଆନନ୍ଦ ,
ସବୁ ରୁଚିକର , ନାହିଁ ଭଲମନ୍ଦ ।
ଆମେ ସ୍କୁଲ୍ ବାହାରୁ
ଧୋତି ପଞ୍ଜାବି ପିନ୍ଧି ବାପା ବାହାରନ୍ତି ,
ଗେହ୍ଲାରେ ଚିବୁକକୁ ଧରି
ବୋଉ ନାହିଁ ବୋଲି
ଶିଙ୍ଗପାନିଆରେ
ଆମ ମୁଣ୍ଡ କୁଣ୍ଡାଇ ଦିଅନ୍ତି ,
ଭଲ ପଢ଼ିବାକୁ ଉପଦେଶ ଦେଇ
ଅଫିସ ଯାଆନ୍ତି ।
ଜେଜିମା' ପାନଡବା ଦିଏ,
ସେ ପତଳା ଡବାଟିରେ
ପତଳା ଚୂନ , ଅଳ୍ପ ଖଇର
କେଇଖଣ୍ଡ ଗୁଆ , ଡିଲକ୍ସର
ଛଅଖଣ୍ଡ ପାନ ସଜାହୋଇ ଥାଏ ।
ଓଦା ସୂତାକପଡ଼ା ଖଣ୍ଡିକୁ
ତଳପଟେ ପାରେ
ଅଧାଭାଗ ଦିଏ ପାନର ଉପରେ
ଯତ୍ନରେ ସଜାଇଲା ପରେ ।
ତା' ପାନଭଙ୍ଗା , ପାନଡବା ସଜା
ମମତାର ମଧୁଝର ,
ପ୍ରତିଦିନ ସେ ସ୍ନେହ ପରଶ ,
ବାପାଙ୍କ ପଞ୍ଜାବି ପକେଟ୍ ରେ
ମା'ର ଅଶେଷ ସ୍ନେହ ଓ ଆଶିଷ ।
ହୋଇପାରେ କେତୋଟି ଟଙ୍କାର ଡବାଟିଏ ସାଧାରଣ ଆଲୁମିନିୟମ୍ ,
ଜେଜିମା' ବାପାଙ୍କ ପଛେ ପଛେ
ଦାଣ୍ଡ ଦୁଆରବନ୍ଧ ଯାଏ ଆସେ
ତା' ଆଖିରୁ ବାରି ହୋଇପଡ଼େ
କେତେ ଖୁସି ,ସେ ସଦା ମ୍ୟାରିୟମ୍ ।
ବାପା ସତେ ତା' କୋଳର
ସଦ୍ୟଜାତ ନିଷ୍ପାପ ସନ୍ତାନ ,
ତା' ଓଠରେ ଉଲ୍ଲାସର ତୃପ୍ତ ହାସ୍ୟ
ପାନଖଣ୍ଡ ସାଥେ
ଛୁଇଁ ଯାଇ ସନ୍ତାନର ଓଠ
ଦେଉଥାଏ ତୃପ୍ତିର ଅଶେଷ ଚୁମ୍ବନ ।
----------- ଉମେଶ (ଥକାମନ)
Comments
Post a Comment